ଦୀକ୍ଷାର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର କହିଛନ୍ତି ,— ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟକୁ ତାହାର ଜୀବନ ପଥରେ ଦକ୍ଷ କରି ତୋଳିବା ନିମନ୍ତେ ସତ୍ ଦୀକ୍ଷାର ସରଳ ଉପାୟ ନିର୍ଦ୍ଧାରଣ, କରିଛନ୍ତି । “ଦୀକ୍ଷା ନିଅ , ଅର୍ଥାତ୍ ନିୟମ ଗ୍ରହଣ କର , ଅଚ୍ୟୁତ ଅନୁରାଗ ଉଦ୍ଦୀପନାରେ ତୁମର ଯାହା କିଛି ଅନ୍ଵିତ ସାମଞ୍ଜସ୍ୟରେ ଆପୁରୟମାଣ ଆଚାର୍ଯ୍ୟ ବା ଇଷ୍ଟଙ୍କ ଠାରେ କେନ୍ଦ୍ରାୟିତ କରି ସକ୍ରିୟ ଅନୁସରଣରେ, ଆଉ ଏହି କେନ୍ଦ୍ରାୟିତ ପ୍ରାଜ୍ଞ- ଅଭିନନ୍ଦନ ବିବର୍ତ୍ତିତ ହୋଇ ସାର୍ଥକ ହୋଇଉଠୁ ଈଶ୍ୱରଙ୍କଠାରେ , ଏହାହିଁ ହେଉଛି ଦୀକ୍ଷାର ତାତ୍ପର୍ଯ୍ୟ ।” ( ତପୋ ବିଧାୟନା –୬୬ ) ସଂସାର ଏକ ମହା କ୍ଷେତ୍ର , ଏଠାରେ ନାନା ପ୍ରକାର ପର୍ଯ୍ୟାୟ ଭିତରେ ମଣିଷକୁ ଗତି କରିବାକୁ ହୋଇଥାଏ । ପୁତ୍ର ହିସାବରେ ପତି ହିସାବରେ , ବନ୍ଧୁ ହିସାବରେ , ପଡୋଶୀ ହିସାବରେ , ନାଗରିକ ହିସାବରେ ଅନେକ ଦାୟ -- ଦାୟୀତ୍ଵ ରହିଛି । ଏକାସହିତ ନିଜର ସ୍ୱାସ୍ଥ୍ୟ ( ଶାରୀରିକ ଓ ମାନସିକ ) ବିପର୍ଯ୍ୟୟର ନାନା କାରଣ ମଧ୍ୟ ରହିଛି ସେହି ସବୁରୁ ନିଜକୁ ରକ୍ଷା କରିବା ସହଜ ସାଧ୍ୟ ନୁହେଁ । ନାନା ଶ୍ରେଣୀର ବ୍ୟକ୍ତିଙ୍କର ସାହଚର୍ଯ୍ୟ ଲାଭ ନିତ୍ୟ କରୁଛେ , ସେଥିରେ ନିଜତ୍ବ ରକ୍ଷା କରିବା ମଧ୍ୟ କଷ୍ଟକର ବ୍ୟାପାର । ଏଭଳି ଘଡିସନ୍ଧି ମୁହୂର୍ତ୍ତ ଆସି ଉପସ୍ଥିତ ହୋଇପାରେ , " ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା ।"ଅତଏବ ମସ୍ତିଷ୍କର ଭାରସାମ୍ୟ ରକ୍ଷା କରିବା ଅସମ୍ଭବ । ଏଥିପାଇଁ ସେହି ପ୍ରକାର ସତ୍ ଚାଳକଙ୍କର ଶରଣାଗତ ହେବାକୁ ହୁଏ , ଯିଏ କି ମଣିଷକୁ ସବୁ ପ୍ରକାର ସମସ୍ୟା ଜାଲରୁ ଉଦ୍ଧାର କରିପାରିବେ ଏବଂ ଏହି କର୍ମ ଯୁଦ୍ଧ କ୍ଷେତ୍ରରେ ଆମକୁ ଦୃଢ଼କରି ତୋଳି ପାରିବେ ଏବଂ ଦକ୍ଷତା ବଢାଇ ଆମକୁ ଜଞ୍ଜାଳ ଜଟିଳତାରୁ ମୁକ୍ତ କରିବାପାଇଁ ଶକ୍ତି ସାହାସ ପ୍ରଦାନ କରିପାରିବେ । ସେଥିପାଇଁ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପ୍ରତିଟି ବ୍ୟକ୍ତିକୁ ଦୀକ୍ଷା ଗ୍ରହଣର ବିଧାନ ଦେଇ କହିଛନ୍ତି:-- ଦୀକ୍ଷା ମାନେ ତା ' ହିଁ -- ନିଷ୍ଠା ଆକୂତିର ସହିତ ଯାର ଅନୁଶୀଳନ ଭିତର ଦେଇ ମଣିଷ ସବୁ ଦିଗରୁ ଦକ୍ଷ ହୋଇ ଉଠେ , ସର୍ବତୋଭାବେ ଦକ୍ଷ ହେବାହିଁ ଦୀକ୍ଷାର ମୌଳିକ ଉଦ୍ଦେଶ୍ୟ - ଉନ୍ନତିର କୃଷ୍ଟି - ତନ୍ତ୍ର । ( ସଂଜ୍ଞାସମୀକ୍ଷା -- ୧୫୬ ) ଜୟ ଗୁରୁ