କଟକ ତା ୬.୦୨.୨୦୨୧(ସଂଯୋଗ ଟୁଡେ) କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ ଯଥା ଚୁକ୍ତି ଚାଷ ଆଇନ ୨୦୨୦, ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଓ ଘରୋଇ ମଣ୍ଡି ଆଇନ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା କିଷାନ ଦ୍ୱାରା ଅହୂତ ଚକା ବନ୍ଦ ଆନ୍ଦୋଳନ କଟକରେ ଅଭୁତପୁର୍ବ ଭାବେ ସଫଳ ହୋଇଛି । ଆଜି ଚକା ବନ୍ଦ ଉପଲକ୍ଷେ କୃଷକ ଓ ଶ୍ରମିକ ସଙ୍ଗଠନ ମାନଙ୍କ ପକ୍ଷରୁ ମିଳିତ ଭାବେ କଟକ ଲିଙ୍କ ରୋଡ ଠାରେ ଶୋଭାଯାତ୍ରା କରାଯାଇ ପ୍ରତିବାଦ ସଭା କରାଯାଇଥିଲା । ପ୍ରତିବାଦ ସଭାରେ ବକ୍ତା ମାନେ କହିଥିଲେ; କେନ୍ଦ୍ର ସରକାର ପୁଞ୍ଜିପତି ଶ୍ରେଣି ସ୍ୱାର୍ଥରେ ତିନୋଟି ଅନ୍ୟାୟ ଆଇନ ଅଣିଛନ୍ତି ଯେଉଁ ଆଇନ ଫଳରେ କୃଷକମାନେ ସେମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ହରାଇବେ ଓ ପୁଞ୍ଜିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲାଭବାନ ହେବେ । ଅକ୍ଳାନ୍ତ ପରିଶ୍ରମ କରି ନିଜର ରକ୍ତ ନିଗାଡ଼ି ଦେଶର ଅନ୍ନଦାତା ଅମଳ କରୁଥିବା ଉତ୍ପାଦିତ ଶସ୍ୟକୁ ଏହି ଆଇନ ବଳରେ ପୁଞ୍ଜିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲୁଟିନେବେ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟଦ୍ରବ୍ୟର ଦରଦାମ ଲଗାମଛଡା ଭାବେ ବଢି ଚାଲିବ । ତେଣୁ ଜନଗଣଙ୍କୁ ଏହି ଅନ୍ୟାୟ ଆଇନ ବିରୁଦ୍ଧରେ ଧାରାବାହିକ ଭାବେ ପ୍ରତିରୋଧ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ଲଢୁଆ କୃଷକ ମାନେ ଦିଲ୍ଲୀ ସୀମାରେ କରୁଥିବା ବିରତ୍ୱପୂର୍ଣ୍ଣ ସଂଗ୍ରାମଙ୍କୁ ସମସ୍ତେ ସଲାମ କରିଥିଲେ । କେନ୍ଦ୍ର ବିଜେପି ସରକାର ଫାସିବାଦୀ କାୟଦାରେ ଦିଲ୍ଲୀ ସିମାନ୍ତରେ ଆନ୍ଦୋଳନ ଚାଲିଥିବା ସ୍ଥାନ ମାନଙ୍କରେ ୧୦ ଲେୟାର ବ୍ୟାରିକେଡ ନିର୍ମାଣ, ରାସ୍ତାରେ ଅଢେଇ ଇଞ୍ଚର କଣ୍ଟା ପୋତିବା, କଣ୍ଟା ଯୁକ୍ତ ତାରରେ ବାଡ ତିଆରି କରି ଆନ୍ଦୋଳନକାରୀ ତଥା ଜନତାଙ୍କ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି କରିବା ଭଳି ହିଟଲରୀ ନୀତିକୁ ସଭାରେ ନିନ୍ଦା କରାଯାଇଥିଲା । ପ୍ରତିବାଦ ସଭା ପରେ ଲିଙ୍କ ରୋଡ ଠାରେ ଚକାବନ୍ଦ ଆନ୍ଦୋଳନ କରାଯାଇଥିଲା । ସେହି ସ୍ଥାନରୁ କମିସନରେଟ ପୋଲିସ ଶତାଥିକ କର୍ମିଙ୍କୁ ଗିରଫ କରିଥିଲେ । ଆଜିର ଆନ୍ଦୋଳନରେ ରବିନାରାୟଣ ମଲ୍ଲିକ, ଖଗେଶ୍ୱର ସେଠୀ, ଅମରେନ୍ଦୁ ମହାନ୍ତି, ବିଜୟ ପତି, ବଦ୍ରିନାରାୟଣ ଦାସ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ବିନୋଦ ବେହେରା, ରବିନ୍ଦ୍ରନାଥ ଧଳ, ମନୋରଞ୍ଜନ ମହାରଣା , ମଧୁସୂଦନ ପତି, ଅଭୟ ସ୍ୱାଇଁ, ସିଦ୍ଧାର୍ଥ ରଥ, ଭାଗ୍ୟରବି ଦାସ, ଯୁଧିଷ୍ଠିର ମହାରଣା, ବିନୋଦ ସେଠୀ, ଦିପକ ଦାସ, ସସ୍ମିତା ମହାନ୍ତି, ପ୍ରତାପ ମିଶ୍ର, ଶିବାନୀ ସାହୁ, ଶୁଭସ୍ମିତା ସାହୁ,ଅମରେନ୍ଦ୍ର ନାୟକ ପ୍ରମୂଖ ଗିରଫ ହୋଇଥିଲେ ।
କଟକ ରୁ ସ୍ୱତନ୍ତ୍ର ପ୍ରତିନିଧି ଶୁଭ୍ରମ ବାରିକ ଙ୍କ ରିପୋର୍ଟ