କଟକ ତା ୦୯.୦୩.୨୦୨୧ ରାଜ୍ୟ ସରକାର ଉପସ୍ଥାନ କମ ଆଳରେ ବାରଙ୍ଗ ବ୍ଲକର ୨୯ଟି ପ୍ରାଥମିକ ବିଦ୍ୟାଳୟ ତଥା ସାରା ରାଜ୍ୟରେ ୧୪୩୭୯ ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ସହ ସେହି ସବୁ ବିଦ୍ୟାଳୟର ଉପଯୁକ୍ତ ସୁରକ୍ଷା ଦାବିରେ ଆଜି କଟକ ଜିଲ୍ଲାପାଳ ଅଫିସ ଆଗରେ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟି, ବାରଙ୍ଗ ବ୍ଲକ ପକ୍ଷରୁ ଛାତ୍ର ଓ ଅଭିଭାବକ ମାନଙ୍କର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ସ୍ଥଳରୁ ସ୍ମାରକ ପତ୍ର କଟକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏଆଇଡିଏସଓ ବାରଙ୍ଗ ଆଂଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଡିଏସଓ କଟକ ଜିଲ୍ଲା ସଭାପତି ଭାଗ୍ୟରବି ଦାସ, ସମ୍ପାଦକ ବିନୋଦ ସେଠୀ, ବାରଙ୍ଗ ଆଞ୍ଚଳିକ କମିଟି ସହ-ସମ୍ପାଦକ ରାଜେଶ ରାଉତ, ବାରଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟ ସୁରକ୍ଷା କମିଟି ମାନଙ୍କ ପକ୍ଷରୁ କିଶୋର ପାଇଟାଲ, ମମତା ବେହେରା, ନଳିନୀ ପାଇଟାଲ, ବସନ୍ତ ବେହେରା, ଦିନବନ୍ଧୁ ବେହେରା, ଶିବଶକ୍ତି ଦାସ, ନିରୁପମା ଭୋଇ, ସୁପ୍ରିୟା ବେରା, ପୁଷ୍ପଲତା ପାଇଟାଲ, ଶଙ୍କୁନ୍ତଳା ମୁଦୁଲି, ରାଜେନ୍ଦ୍ର ରାଉତ, ଗିତାରାଣୀ ପାଇଟାଲ ପ୍ରମୂଖ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ବାରଙ୍ଗ ବ୍ଲକର ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବାରଙ୍ଗ ବିଇଓ ତଥା ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ପ୍ରତିବାଦ ତଥା ସ୍ମାରକପତ୍ର ପ୍ରଦାନ କରିବା ସତ୍ୱେ ଏଯାବତ ଦାବି ପୂରଣ କ୍ଷେତ୍ରରେ ପ୍ରଶାସନିକ ଉଦାସୀନତା ଦେଖାଯାଇଛି । ଏହି ଉଦାସୀନତାକୁ ବକ୍ତବ୍ୟ ମାଧ୍ୟମରେ ବକ୍ତାମାନେ ନିନ୍ଦା କରିଥିଲେ । ସେମାନେ କହିଥିଲେ ଦିର୍ଘବର୍ଷର ଯୋଜନାବଦ୍ଧ ସରକାରୀ ଅବହେଳା ଯୋଗୁଁ ସରକାରୀ ସ୍କୁଲ ମାନଙ୍କରେ ଉପସ୍ଥାନ କମିଛି । ଦୀର୍ଘ ବର୍ଷ ଧରି ସ୍କୁଲ ମାନଙ୍କରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିବା, ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କୁ ବର୍ଷସାରା ଶିକ୍ଷା ବର୍ହିଭୁତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା, ଗୁଣାତ୍ମକ ଶିକ୍ଷାଭିତ୍ତିକ ପାଠ୍ୟ ଖସଡାର ଅଭାବ, ପାସ-ଫେଲ୍ ବ୍ୟବସ୍ଥା ଉଚ୍ଛେଦ, ଆବଶ୍ୟକ ଭିତ୍ତିଭୂମିର ଅଭାବ ଇତ୍ୟାଦି ଫଳରେ ସରକାରୀ ସ୍କୁଲ ଶିକ୍ଷା ଅତି ଦୃତ ବିପର୍ଯ୍ୟସ୍ତ ହେବାକୁ ଲାଗିଛି । କୋମଳମତି ଛାତ୍ରଛାତ୍ରୀ ମାନେ ନିରାପଦରେ ନିଜ ଗାଁ ସ୍କୁଲରେ ପଢିବା ଲକ୍ଷ୍ୟ ରେ ପ୍ରତିଷ୍ଠିତ ସ୍କୁଲରେ ଉପସ୍ଥାନ ହାର ବଢାଇବା ପାଇଁ ପ୍ରକୃତ ପଦକ୍ଷେପ ଗ୍ରହଣ ନକରି “ମୁଣ୍ଡ ବିନ୍ଧିଲେ ମୁଣ୍ଡ କାଟିଦେବା” ନ୍ୟାୟରେ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରୁଛନ୍ତି । ଶିକ୍ଷାର ଘରୋଇକରଣ ପାଇଁ ସରକାରୀ ନୀତିକୁ ବକ୍ତା ମାନେ ଘୋର ନିନ୍ଦା କରି କହିଥିଲେ; ଗୋଟିଏ ଦିଗରେ ସରକାରୀ ସ୍କୁଲ ବନ୍ଦ କରିବା ଓ ଅନ୍ୟ ଦିଗରେ ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦେବା ବିଷୟଟି ଆମର ଶିକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟଭାବେ ‘ଥିଲାବାଲାଙ୍କ ପାଇଁ’ ଓ ‘ନଥିଲା ବାଲାଙ୍କ ପାଇଁ’ ଏହିପରି ଦୁଇଭାଗରେ ବିଭକ୍ତ କରିଦେଇଛି । ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ଫଳରେ ଗରିବ ଘରର ପିଲାମାନଙ୍କ ପାଇଁ ପଢିବାର ଯେତିକି ବି ସୁଯୋଗ ଥିଲା, ତାହା ମଧ୍ୟ ସଂପୂର୍ଣ୍ଣଭାବେ ବନ୍ଦ ହୋଇଯିବ । ତେଣୁ ସରକାର ତୁରନ୍ତ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିରୁ ବିରତ ହେବା ସହ ସ୍କୁଲ ଗୁଡିକର ସୁରକ୍ଷା ପାଇଁ ଉପଯୁକ୍ତ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ବାରଙ୍ଗ ବ୍ଲକରେ ସରକାରୀ ବିଦ୍ୟାଳୟ ବନ୍ଦ ପାଇଁ ନିଆଯାଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଧାରାବାହିକ ଭାବେ ଏଆଇଡିଏସଓ ଏବଂ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ ଚାଲିଛି । ସରକାର ନିଜର ଶିକ୍ଷା ବିରୋଧି ନିଷ୍ପତ୍ତିରୁ ନ ଓହରିଲେ ଆଗାମୀ ଦିନରେ ଦୁର୍ବାର ଗଣ ଆନ୍ଦୋଳନ ହେବ ବୋଲି ଛାତ୍ରନେତା ମାନେ ଚେତାବନୀ ଦେଇଛନ୍ତି ।