ଭୁବନେଶ୍ବର ( ଶୁଭ୍ରମ ବାରିକ ଙ୍କ ରିପୋର୍ଟ) : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ର ଲୁକ୍କାୟିତ ପ୍ରତିଭା ନମିତା ଜଣେ ଦଶମ ଶ୍ରେଣୀ ର ମେଧାବୀ ଛାତ୍ରୀ । ବିନା ପ୍ରଶିକ୍ଷଣ ରେ ସୁମଧୁର କଣ୍ଠ ରେ ଗୀତ ଗାଇ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛନ୍ତି ନମିତା ମେଲେକା। ନମିତା ଙ୍କ ସଙ୍ଗୀତ ରେ ପ୍ରଭାବିତ ହୋଇ ତାଙ୍କୁ ଏବେ ସୁଯୋଗ ଦେବା ସହ ସମଗ୍ର ରାଜ୍ୟ ଓ ଦେଶ ରେ ନୂଆ ପରିଚୟ ଦେବା ପାଇଁ ଆଗେଇ ଆସିଛନ୍ତି ଓଲିଉଡ୍ ର ପ୍ରଖ୍ୟାତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନମିତା ଙ୍କ ଦୁଇଟି ଗୀତ ପିପିଏଲ୍ ନ୍ୟୁଜ୍ ରେ ପ୍ରସାରିତ ହୋଇଥିଲା, ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ଯ ସେଇ ଗୀତ ଗୁଡିକୁ ତାଙ୍କ ଫେସବୁକ୍ ପେଜ୍ ରେ ସେୟାର୍ କରିବା ସହ ନମିତା ଙ୍କ ସହ ଟେଲିଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ବିନା ପ୍ରଶିକ୍ଷଣ ରେ ଏତେ ସୁନ୍ଦର୍ ଗୀତ ଗାଇ ପାରୁଥିବାରୁ ନମିତା ଙ୍କୁ ବେଶ୍ ପ୍ରସଂଶା କରିଛନ୍ତି ବର୍ଷା । ଏହା ସହିତ ଆଗାମୀ ଦିନ ରେ ନମିତା ଙ୍କୁ ଗୋଟିଏ ମହାପ୍ରଭୁ ଜଗନ୍ନାଥ ଙ୍କ ଭଜନ ରେ ସୁଯୋଗ ଦେଇ ତାଙ୍କ ପ୍ରତିଭା କୁ ସର୍ବୋତ୍କୃଷ୍ଟ ମାଧ୍ୟମରେ ଲୋକଲୋଚନ କୁ ଆଣିବା ର ପ୍ରତିଶ୍ରୁତି ଦେଇଛନ୍ତି ବର୍ଷା । ଯେହେତୁ ନମିତା ଜଣେ ଦଶମ ଶ୍ରେଣୀ ର ଛାତ୍ରୀ, ତାଙ୍କ ପାଠ ପଢ଼ାରେ ଯେମିତି କିଛି ବି ବାଧା ନ ଉପୁଜେ ଓ ଉପଯୁକ୍ତ ପ୍ରଶିକ୍ଷଣ ମିଳେ ସେଥିପାଇଁ ନିଜ ସାମାଜିକ ଅନୁଷ୍ଠାନ ‘ସମ୍ମାନିତା’ ସବୁବେଳେ ଚେଷ୍ଟା କରିବ ବୋଲି କହିଛନ୍ତି ବର୍ଷା । ବର୍ଷା ପ୍ରିୟଦର୍ଶିନୀ ଙ୍କ ‘ସମ୍ମାନିତା’ ବିଭିନ୍ନ ସମୟରେ ଅସହାୟ କୁ ସହାୟତା ର ହାତ ବଢ଼ାଇଥାଏ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କୁ ହାତକୁ ନେଇଥାଏ । ବର୍ଷା ଙ୍କ ସହ କଥା ହେବା ପରେ ବେଶ୍ ଖୁସୀ ଅଛନ୍ତି ନମିତା ଓ ତାଙ୍କ ପରିବାରଲୋକେ । ଅତି ସୁନ୍ଦର ଗୀତ ଗାଇବା ଶୈଳୀ। କିନ୍ତୁ ଲୋକ ଲୋଚନ କୁ ଆସି ପାରୁନଥିଲେ ଏହି ବଣ ମଲ୍ଲୀ ଜଣଙ୍କ। ଏବେ କିନ୍ତୁ ନମିତା ଙ୍କୁ ଚାରିଆଡୁ ଛୁଟିଛି ପ୍ରସଂଶା ର ସୁଅ ।