କଟକ :(ଶୁଭ୍ରମ ବାରିକ) କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଏବେ କୋର୍ଟରେ। ସେ ନିଜର ଭରଣପୋଷଣ ପାଇଁ ଏସଡିଜେଏମ କଟକ ସଦର ଙ୍କ ନିକଟରେ ଆବେଦନ କରିଥିବା ଖବର ଆସିଛି। ତେବେ ସେ ତାଙ୍କ ସ୍ୱାମୀ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ତଥା କେନ୍ଦ୍ରାପଡା ସାଂସଦ ଙ୍କ ନାଁରେ ଏହି ମାମଲା ଦାୟର କରିଛନ୍ତି। ଅନୁଭବ ହେଉଛନ୍ତି ଜଣେ ମଦ୍ୟପ ଏବଂ ମଧୁମେହ ରୋଗୀ ବୋଲି ବର୍ଷା କହିଛନ୍ତି। ସେହିପରି ମୋ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ରୁମରେ ମଦ୍ୟପାନ କରନ୍ତି। ମୋତେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି। ହେଲେ ମୁଁ ବିରୋଧ କରିବାରୁ ମୋତେ ଧକ୍କା ମାରି ନିଜ ଘରୁ ବାହାର ମଧ୍ୟ କରିଦେଇଛନ୍ତି। ଖାଲି ସେତିକି ନୁହେଁ ସିନେମାଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସଂପର୍କ ରହିଛି। ତେବେ ଅଭିଯୋଗରେ ବର୍ଷା ଅନୁଭବଙ୍କ ନିକଟରୁ ଘର ଭଡା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟର ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି।